ନୂଆଦିଲ୍ଲୀ, ୦୭/୦୬: ପାକିସ୍ତାନର ଗଳା ଶୁଖିଗଲାଣି । ପାଣି ପାଇଁ ଡହଳ ବିକଳ ହେଲାଣି । ଭାରତ ସିନ୍ଧୁ ଜଳ ସନ୍ଧି ସ୍ଥଗିତ କରିବା ପରେ ଆତଙ୍କୀ ରାଷ୍ଟ୍ର ନାକରେ କାନ୍ଦିଲାଣି । ଦିନକୁ ଦିନ ଦେଶରେ ଜଳ ସଙ୍କଟ ବଢ଼ୁଥିବାରୁ ପାକିସ୍ତାନ ସରକାର ଭାରତକୁ ଗୁହାରି ପରେ ଗୁହାରି ଲଗାଉଛି । ଅପରେସନ ସିନ୍ଦୂର ପରଠାରୁ ପାକିସ୍ତାନ ଭାରତକୁ ୩ଥର ଚିଠି ଲେଖି ଚୁକ୍ତି ସ୍ଥଗିତ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ନେହୁରା ହେଲାଣି । ଏହା ପୂର୍ବରୁ ଗୋଟିଏ ଚିଠି ଲେଖିଥିଲେ ସରିଫ୍ ସରକାର ।
ରିପୋର୍ଟ ଅନୁସାରେ, ପାକିସ୍ତାନର ଜଳ ମନ୍ତ୍ରଣାଳୟର ସଚିବ ସୟଦ ଅଲ୍ଲୀ ମୁର୍ତଜାଙ୍କ ତରଫରୁ ଏହି ଚିଠି ଆସିଛି । ସେଥିରୁ ଗୋଟିଏ ଚିଠି ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂର ପୂର୍ବରୁ ଆସିଛି । ଆଉ ୩ ଚିଠି ଅପରେସନ ସିନ୍ଦୂର ପରେ ପାକିସ୍ତାନ ଭାରତକୁ ପଠାଇଛି । ଏହି ସମସ୍ତ ଚିଠି ଭାରତର ବିଦେଶ ମନ୍ତ୍ରଣାଳୟକୁ ଆସିଛି । ଏପ୍ରିଲ ୨୨ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଜଳଶକ୍ତି ମନ୍ତ୍ରଣାଳୟ ସଚିବ ଦେବାଶ୍ରୀ ମୁଖାର୍ଜୀ ପାକିସ୍ତାନ ପ୍ରତିପକ୍ଷ ମୁର୍ତଜାଙ୍କୁ ଚିଠି ଲେଖିଥିଲେ । ଏଥିରେ ଭାରତ ସ୍ପଷ୍ଟ ଭାବେ କହିଥିଲା ଯେ, ପାକିସ୍ତାନ ପଟୁ ହେଉଥିବା ସୀମାପାର୍ ଆତଙ୍କବାଦ, ୧୯୬୦ରେ ହୋଇଥିବା ସିନ୍ଧୁ ଚୁକ୍ତିର ମୂଳ ଭାବନା ଅର୍ଥାତ୍ ବିଶ୍ୱାସ ଏବଂ ସହଯୋଗକୁ ମୂଲ୍ୟହୀନ କରିଦେଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ଏଭଳି ଚୁକ୍ତିକୁ ନିଲମ୍ବନ କରୁଛି । ଆତଙ୍କୀ ଆକ୍ରମଣ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ବେପାର ଏବଂ ଆତଙ୍କବାଦ, ପାଣି ଏବଂ ରକ୍ତ, ଗୁଳି ଏବଂ ଆଲୋଚନା ଏକସଙ୍ଗରେ ଚାଲିପାରିବ ନାହିଁ ।
ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ପରେ ଭାରତ ସିନ୍ଧୁ ନଦୀ ପ୍ରଣାଳୀ ସହ ଜଡ଼ିତ ରଣନୈତିକ ପ୍ରକଳ୍ପ ଉପରେ କାମକୁ ତୀବ୍ର କରିଛି । ଏହି ପ୍ରକଳ୍ପ ମଧ୍ୟରେ ୧୩୦ କି.ମି ଦୀର୍ଘ ଏକ କେନାଲ ରହିଛି । ଏହା ବିଅସ୍ ନଦୀକୁ ଗଙ୍ଗା କେନାଲ ସହ ଯୋଡ଼ିବ । ସେହିପରି ସିନ୍ଧୁକୁ ଯମୁନା ସହ ଯୋଡ଼ିବା ପାଇଁ ଆଉ ଏକ କେନାଲର ଯୋଜନା କରାଯାଇଛି । ପ୍ରାୟ ୨୦୦ କିମି ଦୀର୍ଘର ଏହି ପ୍ରକଳ୍ପରେ ୧୨ କିମି ଲମ୍ବ ବିଶିଷ୍ଟ ଏକ ସୁଡ଼ଙ୍ଗ ମଧ୍ୟ ରହିଛି । ଏଥିରେ ଯମୁନା ପାଣି ଗଙ୍ଗାସାଗର ପର୍ଯ୍ୟନ୍ତ ପହଞ୍ଚିବ । ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନ ଭଳି ରାଜ୍ୟକୁ ଏହି ଯୋଜନାରୁ ଲାଭ ମିଳିବ । ସରକାରଙ୍କ କହିବା ଅନୁସାରେ, ଯେଉଁ ଗତିରେ ଏବେ କାମ ଚାଲିଛି ୨ରୁ ୩ ବର୍ଷ ଭିତରେ ଏହା ସମ୍ପୂର୍ଣ୍ଣ ହେବାର ଆଶା ରହିଛି । ଏ ନେଇ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଉଛି ।